ଭୁବନେଶ୍ୱରରେ ୧,୬୦୮ ସୁଲଭ ଆବାସର ଲୋକାର୍ପଣ: ପ୍ରବାସୀ ଶ୍ରମିକ ଓ ଗରିବଙ୍କୁ ମିଳିଲା ସମ୍ମାନର ଠିକଣା, ଉଦ୍ଘାଟିତ ହେଲା ୧୨ ଅତ୍ୟାଧୁନିକ ଖେଳପଡ଼ିଆ
ଭୁବନେଶ୍ୱର:
ରାଜଧାନୀ ଭୁବନେଶ୍ୱରରେ ବାସହୀନ ଓ ଗରିବ ପରିବାରଙ୍କ ପାଇଁ ସୃଷ୍ଟି ହୋଇଛି ନୂଆ ଆଶାର ଆଲୋକ। ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହିତ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘାଟିକିଆ ଏବଂ ଗାଡ଼କଣଠାରେ ଦୁଇଟି ବୃହତ ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହାଦ୍ୱାରା ରାଜଧାନୀର ୧,୬୦୮ ପରିବାର ନିଜସ୍ୱ ପକ୍କା ଘର ପାଇ ଉପକୃତ ହୋଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଖାଦ୍ୟ ପରେ ମଣିଷ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ମୁଣ୍ଡ ଉପରେ ଛାତ। ଆମେ ଏପରି ଏକ ଭୁବନେଶ୍ୱର ଗଢ଼ିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହିପାରିବେ, ଶ୍ରମିକମାନେ ସୁଲଭ ଆବାସ ପାଇବେ ଏବଂ ପ୍ରତ୍ୟେକ ନାଗରିକ ଏକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିବେ।”

-
ନୀଳକଣ୍ଠେଶ୍ୱର ନିବାସ (ଘାଟିକିଆ): ୫ ଏକରରୁ ଅଧିକ ଜମିରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ ଗୃହ।
-
ମୁକ୍ତେଶ୍ୱର ରେସିଡେନ୍ସି (ଗାଡ଼କଣ): ୬ ଏକରରୁ ଅଧିକ ଜମିରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ।
-
ଗୃହପ୍ରବେଶ: ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଏବଂ ଶାନ୍ତିପଲ୍ଲୀଠାରେ ୯୬୨ଟି ପରିବାରଙ୍କୁ ନୂତନ ଘରେ ଗୃହପ୍ରବେଶ କରାଯାଇଛି।
-
‘PMAY-Urban BANDHU’ ଯୋଜନା: ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗର ଲୋକଙ୍କ ପାଇଁ ଗାଡ଼କଣଠାରେ ଏକ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି, ଯାହାଦ୍ୱାରା ଶ୍ରମିକମାନେ କାର୍ଯ୍ୟସ୍ଥଳୀ ନିକଟରେ ସ୍ୱଳ୍ପ ଖର୍ଚ୍ଚରେ ରହିପାରିବେ।
-
କ୍ରୀଡ଼ା ଭିତ୍ତିଭୂମି: ଯୁବପିଢ଼ିଙ୍କ ପ୍ରତିଭା ବିକାଶ ଓ ନାଗରିକଙ୍କ ସୁସ୍ଥତା ପାଇଁ ବିଡ଼ିଏ (BDA) ଦ୍ୱାରା ନିର୍ମିତ ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ରାଜଧାନୀବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି।
ମୁଖ୍ୟମନ୍ତ୍ରୀ ମଞ୍ଚରେ ନିଜେ ଉପସ୍ଥିତ ରହି ଉଭୟ ପ୍ରକଳ୍ପର ବହୁ ହିତାଧିକାରୀଙ୍କୁ ଘରର ଚାବି ହସ୍ତାନ୍ତର କରିବା ସହ ବୁଦ୍ଧବିହାରର ହିତାଧିକାରୀମାନଙ୍କୁ ନିଜ ଅଂଶଧନ ପୈଠ କରିବା ପାଇଁ ୧ ଲକ୍ଷ ୨୦ ହଜାରରୁ ୧ ଲକ୍ଷ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରିଛନ୍ତି।
ରାଜ୍ୟରେ ଆବାସ ଯୋଜନା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବା ବେଳେ ରାଜ୍ୟ ସରକାର ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ୫ ଲକ୍ଷ ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ ଏହି ପ୍ରକଳ୍ପ ବସ୍ତି ବାସିନ୍ଦାମାନଙ୍କୁ ଏକ ନୂତନ ସାମାଜିକ ପରିଚୟ ଓ ସମ୍ମାନ ପ୍ରଦାନ କରିବ। ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ ଏହାକୁ ଗରିବଙ୍କ ସ୍ୱପ୍ନ ପୂରଣର ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିଥିବା ବେଳେ, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଏବଂ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଏହାକୁ ରାଜଧାନୀବାସୀଙ୍କ ପାଇଁ ଏକ ବଡ଼ ‘ପୂଜା ଭେଟି’ ବୋଲି ବର୍ଣ୍ଣନା କରିଥିଲେ।
ଅନୁଷ୍ଠିତ ସଭାରେ BDA ଉପାଧ୍ୟକ୍ଷ ତଥା BMC କମିଶନର ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିବା ବେଳେ BDA ସଚିବ ମାନସ ରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।