ନିର୍ଭୟା ପଦକ୍ଷେପ: ସମ୍ବଲପୁରରେ ମହିଳା ସୁରକ୍ଷା ପାଇଁ ୧୦ କୋଟିର ମେଗା ଯୋଜନା, ୮୦୦ ସିସିଟିଭି ଓ ଗୋଲାପୀ ଇ-ରିକ୍ସା ସହ ଆରମ୍ଭ ହେବ ୯ଟି ପ୍ରକଳ୍ପ

👇समाचार सुनने के लिए यहां क्लिक करें

ମହିଳା ଓ ବାଳିକାଙ୍କ ପାଇଁ ସମ୍ବଲପୁର ସହରକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ସରକାରଙ୍କ ‘ନିର୍ଭୟା ପଦକ୍ଷେପ’ ଅଧୀନରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରରେ କାର୍ଯ୍ୟକାରୀ ହେବାକୁ ଥିବା ୯ଟି ପ୍ରମୁଖ ଯୋଜନାର ରୂପରେଖ ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ଯୋଗଦେଇ ପ୍ରସ୍ତାବିତ ଉଦ୍ୟମଗୁଡ଼ିକର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

  • ଶକ୍ତି ସାରଥୀ: ମହିଳା ପୋଲିସ କର୍ମଚାରୀଙ୍କ ଦ୍ୱାରା ତ୍ୱରିତ ପାଟ୍ରୋଲିଂ ଓ ସହାୟତା ପାଇଁ ୧୫ଟି ଦୁଇଚକିଆ ଯାନ ମୁତୟନ କରାଯିବ।

  • ପ୍ରତିକ୍ରିୟା: ଜରୁରୀକାଳୀନ ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ୧୫ଟି ଏମର୍ଜେନ୍ସି ଯାନ ସହ ଡ୍ରୋନ୍‌ ଟେକ୍ନୋଲୋଜି ବ୍ୟବହାର ହେବ।

  • ଦୃଷ୍ଟି: ସହରର ୨୧୦ଟି ସମ୍ବେଦନଶୀଳ ସ୍ଥାନରେ ୮୦୦ଟି ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲଗାଇ ନିରୀକ୍ଷଣ ବ୍ୟବସ୍ଥା କଡ଼ାକଡ଼ି କରାଯିବ।

  • ଏସ୍-ଷ୍ଟପ୍: ମହିଳାଙ୍କ ତୁରନ୍ତ ଅଭିଯୋଗ ଶୁଣାଣି ଓ ସହାୟତା ପାଇଁ ସହରରେ ୫ଟି ସ୍ୱତନ୍ତ୍ର ପୋଲିସ ସହାୟତା କେନ୍ଦ୍ର ଗଠନ ହେବ।

  • ସହଯାତ୍ରା: ସୁରକ୍ଷିତ ଓ ସୁଲଭ ଯାତାୟାତ ସୁନିଶ୍ଚିତ କରିବାକୁ ସହରରେ ୪୦ଟି ‘ଗୋଲାପୀ ଇ-ରିକ୍ସା’ (Pink E-Rickshaw) ଚଳାଚଳ କରିବ।

  • ନିର୍ଭୟା ସଦନ: ଜିଲ୍ଲା ଅଦାଲତ ପରିସର, ରେଳ ଷ୍ଟେସନ, ବୁର୍ଲା ମେଡିକାଲ କ୍ୟାମ୍ପସ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ଟି ଆଶ୍ରୟ ତଥା ସହାୟତା କେନ୍ଦ୍ର ଖୋଲାଯିବ।

  • ସାଥୀ: ସାର୍ବଜନୀନ ସ୍ଥାନମାନଙ୍କରେ ମହିଳାଙ୍କ ସୁବିଧା ପାଇଁ ୬ଟି ଅତ୍ୟାଧୁନିକ ଶୌଚାଳୟ ଓ ନର୍ସିଂ ରୁମ୍ ନିର୍ମାଣ ହେବ।

  • ଯାତ୍ରା: ଛାତ୍ରୀମାନଙ୍କ ନିରାପତ୍ତା ପାଇଁ ୫୦ଟି ଶିକ୍ଷାନୁଷ୍ଠାନ ବସ୍‌ରେ ରିଅଲ-ଟାଇମ୍ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ଲାଗୁ କରାଯିବ।

  • ସଚେତନା: ଆତ୍ମରକ୍ଷା ତାଲିମ, ସ୍ୱାସ୍ଥ୍ୟ ଶିକ୍ଷା ଓ ସାମାଜିକ ସଚେତନତା ଅଭିଯାନ ଆୟୋଜିତ ହେବ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ ଯେ କେବଳ ପୋଲିସ ବ୍ୟବସ୍ଥା ନୁହେଁ, ବରଂ ସମାଜରେ ପରିବର୍ତ୍ତନ ଆଣିବା ପାଇଁ କିଶୋର ବାଳକମାନଙ୍କୁ ସାମିଲ କରି ଲିଙ୍ଗଗତ ସମ୍ବେଦନଶୀଳତା ଓ ମହିଳାଙ୍କ ପ୍ରତି ସମ୍ମାନଜନକ ଆଚରଣ ସମ୍ପର୍କରେ ସଚେତନ କରାଯିବା ଆବଶ୍ୟକ।

ଏହି ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ପୋଲିସ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍., ଗଣଶିକ୍ଷା ସଚିବ ଡା. ଏନ୍. ତିରୁମାଲା ନାଏକ ଏବଂ ମହିଳା ଓ ଶିଶୁ ବିକାଶ ସଚିବ ଡ. ମୃଣାଳିନୀ ଦର୍ସୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें