ନୀଳଗିରି -୨୦/୪(ସିଧାସମ୍ବାଦ);
ନୀଳଗିରି ବ୍ଲକ ବରହମପୁର ମଣ୍ଡଳ ଅବସରପ୍ରାପ୍ତ କର୍ମଚାରୀ ସଂଘର ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ ସଂଘର ସ୍ଥାୟୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳ ୯ଘଟିକା ସମୟରେ ସଂଘର ସଭାପତି ରବିନାରାୟଣ ଚୌଧୁରୀଙ୍କ ସଭାପତିତ୍ବରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ସୁଦୃଢ କରିବାପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ଉକ୍ତ ବୈଠକରେ ବହୁ ସଂଖ୍ୟାରେ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଦ୍ଵିତୀୟପର୍ଯ୍ୟାୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ଶରତ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା, ବାଲେଶ୍ୱର ଜିଲ୍ଲା ସଂଘର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ବେଦଉଚ୍ଚାରଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ସଂଘର ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ପ୍ରଫୁଲ୍ଲ ରାଉତ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସଭାପତି ରବିନାରାୟଣ ଚୌଧୁରୀ ଅଭିଭାଷଣ ରଖିଥିଲେ।ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଅଭିଭାଷଣ ପ୍ରଦାନ ପରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ମିଶ୍ର ବାର୍ଦ୍ଧକ୍ୟ ପ୍ରତ୍ୟେକ ଜୀବର ଅନ୍ତିମ ପର୍ଯ୍ୟାୟ। ତେଣୁ ଜୀବନର ଏହି ଅନ୍ତିମ ପର୍ଯ୍ୟାୟରେ ସୁସ୍ଥରହିବା ସହିତ ନିରାମୟ ଜୀବନ ଅତିବାହିତ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ଖଟୁଆ ସମସ୍ତଙ୍କର ସୁସ୍ଥ ଏବଂ ନିରାମୟ କାମନାକରିବା ସହିତ ସଂଘର ବୟୋଜ୍ୟେଷ୍ଠ ସଦସ୍ୟ ମହେନ୍ଦ୍ର ମଲ୍ଲିକ, ବାଙ୍କବିହାରୀ ସ, ଗଙ୍ଗାଧର ମଢେଇ, ଚିତ୍ରଲେଖା ଦାସ ଓ ଛାତ୍ରୀ ଶୁଭସ୍ମିତା ପୃଷ୍ଟିଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ମିଳନୀରେ ବାଇଧର ପଣ୍ଡା, ଅଜୟ ପରିଡା, ପ୍ରଦୀପ ପଶା , ନରେନ୍ଦ୍ର ବାରିକ, କୈଳାସ ଚନ୍ଦ୍ର ମିଶ୍ର, ଦୀନବନ୍ଧୁ କବାଟ ପ୍ରମୁଖ ସମସ୍ତ ସଦସ୍ୟ/ ସଦସ୍ୟା ସହଯୋଗ କରିଥିଲେ।




