ନୀଳଗିରି,୨୮/୦୪(ସିଧାସମ୍ବାଦ); ନୀଳଗିରି ଏନ୍ ଏ ସି ଅନ୍ତର୍ଗତ ୭ ନମ୍ୱର୍ ୱାର୍ଡ ବାଲିଗୋହିରି ମୌଜାର ବହୁ ପୁରାତନ ଜଳାଶୟ ଲକ୍ଷ୍ମୀ ସାଗର ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହେଉ ନଥିବା ସମ୍ପର୍କରେ ଏକ ଦାବୀ ପତ୍ର ସି ପି ଆଇ (ଏମ୍ )ପକ୍ଷରୁ ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ସେନାପତି ଓ ତହସିଲଦାର ସୋନମ୍ ଦାସ ଙ୍କୁ ପ୍ରଦାନ କରା ଯାଇଛି। ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ର , ହେମେନ୍ଦ୍ର ସେଠୀ , ରାମଚନ୍ଦ୍ର ପଢ଼ିଆରୀ ପ୍ରମୁଖ ବହୁ ସାଥୀ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ, ନୀଳଗିରି ତହସିଲଦାରଙ୍କ ପରିପତ୍ର ସଂଖ୍ୟା ୧୩୯୫ ତା ୧୨/୦୩/୨୦୨୫ ରିଖ ରେ ଏସ୍ ଡି ଓ ସୋର କେନାଲ ଡିଭିଜନ୍ କୁ ଚିଠି ଲେଖିଥିଲେ । ଯେଉଁ ଥିରେ ବେଆଇନ୍ ଭାବେ ,
କେନାଲ ଡିଭିଜନ ପକ୍ଷରୁ ଲକ୍ଷ୍ମୀ ସାଗର ପୋଖରୀ କୁ ପୋତି ଦିଆ ଯାଇଥିଲା । ଜନ ଶୁଣାଣି ରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ନୀଳଗିରି ଉପଜିଲ୍ଲାପାଳ ନୀଳଗିରି ତହସିଲଦାର ଙ୍କୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।। ଲକ୍ଷ୍ମୀ ସାଗର ପୁନରୁଦ୍ଧାର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ ନୀଳଗିରି ତହସିଲଦାର କେନାଲ ଡିଭିଜନ କୁ ଚିଠି ଲେଖିଥିଲେ। ଏହା ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ,କେନାଲ ଡିଭିଜନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା, ଜିଲ୍ଲା ପ୍ରଶାସନ ଓ ନୀଳଗିରି ଉପଖଣ୍ଡ ପ୍ରଶାସନ ର ନିର୍ଦ୍ଦେଶ କୁ ଅବମାନନା କରି ନିଜର ବେଆଇନ୍ କାର୍ଯ୍ୟକୁ ଯଥାର୍ଥ ବୋଲି ପ୍ରତିପାଦିତ କରିବା ପାଇଁ ହୀନ ଉଦ୍ୟମ ଚଳାଇ ଥିବା ଅଭିଯୋଗ କରି ସିପିଆଇ (ଏମ୍ )ଆଞ୍ଚଳିକ କମିଟି ପକ୍ଷରୁ ଉପଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି। ଏହା ଦ୍ବାରା କେନାଲ ଡିଭିଜନ ସର୍ବୋଚ୍ଚ ନ୍ୟାୟାଳୟ , କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିଷ୍ପତି କୁ ମଧ୍ୟ ଅବମାନନା କରିଥିବା ଅଭିଯୋଗ କରା ଯାଇଛି। ଏତଦ୍ ବ୍ୟତୀତ ବର୍ଷା ଋତୁ ପୂର୍ବରୁ ଲକ୍ଷ୍ମୀ ସାଗର ପୋଖରୀର ପୂର୍ବସ୍ଥିତି ଫେରାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରା ଯାଇଛି।
ନଚେତ୍ ସିପିଆଇ ଏମ୍ ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସି ପି ଆଇ ଏମ୍ ବାଲେଶ୍ଵର ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର ସୂଚନା ଦେଇଛନ୍ତି। ଏଥି ପାଇଁ ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ସେଥି ପାଇଁ ଉପଖଣ୍ଡ ପ୍ରଶାସନ ଦାୟୀ ରହିବ ବୋଲି ଚେତାଇ ଦେଇଛନ୍ତି।




