ପଥହୁଡା ଜଙ୍ଗଲି ହରିଣ। ସୁରକ୍ଷିତ ଲେଉଟାଣି ପାଇଁ ନୀଳଗିରି ବନବିଭାଗର ପ୍ରୟାସ।
ନୀଳଗିରି -୨୨/୫(ସିଧାସମ୍ବାଦ);
ଜଙ୍ଗଲ ନଷ୍ଟ ହେଉ କିମ୍ବା ଖାଦ୍ୟ ଅନ୍ୱେଷଣରେ ହେଉ, ଅଧିକାଂଶ ଜଂଗଲୀ ଜୀବଜନ୍ତୁ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଗୁରୁବାର ଦିନ ପ୍ରାୟ ୧୧ସମୟରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନୀଳଗିରି ବନବିଭାଗ ଅଧୀନସ୍ଥ ନିଜାମପୁର ପଞ୍ଚାୟତ ଦୁମଦା ଗାଁ ପାଖ ପାଳ ନିକଟରେ ଗାଁଲୋକ ଏକ ହରିଣକୁ ଦେଖି ନୀଳଗିରି ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ଫରେଷ୍ଟର ସରୋଜ ପ୍ରଧାନ ଏବଂ ମଞ୍ଜୁଲତା ପ୍ରଧାନ ଅନ୍ୟ ବନକର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ହରିଣଟିର ଗତିବିଧି ଉପରେ ଲକ୍ଷ୍ୟ ରଖିବା ସହିତ ହରିଣଟିର ଯେପରି କୌଣସି କ୍ଷତି ନଘଟେ ସେଥିପ୍ରତି ସତର୍କ ଦୃଷ୍ଟି ଦେଇଛନ୍ତି। ତେବେ ହରିଣଟି ଖାଦ୍ୟ ଅନ୍ୱେଷଣରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ବୈଶିଙ୍ଗା ସେକ୍ସନ ବଡାମ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଇଛି। ତେବେ ପଥହୁଡ଼ା ହରିଣଟି କିପରି ସୁରକ୍ଷିତ ଲେଉଟି ଯାଇପାରିବ ସେଥିପ୍ରତି ନୀଳଗିରି ବନବିଭାଗ ଚେଷ୍ଟା ଜାରି ରଖିଛି।






