ଖଣ୍ଡପଡ଼ା ୧୪।୨ (ସିଧା ସମ୍ବାଦ)ଖଣ୍ଡପଡା ବ୍ଲକର ଗଡିଆସାହି ପଞ୍ଚାୟତ ଅଧୀନ ନଟଵରପୁରଶାସନ ଗ୍ରାମସ୍ଥିତ ବେଦଶାସ୍ତ୍ର ପାଠଶାଳା ପକ୍ଷରୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଖଣ୍ଡପଡ଼ାର ଅବଦାନ ସଂପର୍କରେ ଏକ ଦିବସୀୟ ଆଲୋଚନାଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବେଦ ପାଠଶାଳାର ପ୍ରତିଷ୍ଠାତା ତଥା ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ଡିନ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଆ ବିଶ୍ବବିଦ୍ୟାଳୟର କୁଳପତି ଶତୃଘ୍ନ ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡିଆ ପ୍ରଫେସର ସୁଶାନ୍ତ କୁମାର ତ୍ରିପାଠୀ, ତିରୁପତି ସଂସ୍କୃତ ବିଶ୍ଵବିଦ୍ୟାଳୟର ଉତ୍କଳ ପୀଠର ନିର୍ଦ୍ଦେଶକ ଡଃ ଭାରତ ଭୂଷଣ ରଥ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ବେଦ ବିଭାଗର ଅଧ୍ୟକ୍ଷା ଡଃ ପରମ୍ଵା ଯୋଗମାୟା, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ରଶ୍ମି ରଂଜନ ଶତପଥୀ, ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ବର ଶତପଥୀ,ଖଣ୍ଡପଡ଼ା ତହସିଲଦାର ବିଶ୍ଵ ଵିଶୃତ ତ୍ରିପାଠୀ, ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ଅଧିକାରୀ ଡଃ ଜ୍ୟୋତ୍ସ୍ନାରାଣୀ ପାତ୍ର, ବିଶିଷ୍ଟ ସ୍ତମ୍ଭକାର ତଥା ଆଇନଜୀବି ଗିରିଜା ଶଙ୍କର ତରାସିଆ,ପଣ୍ଡିତ ମୃତ୍ୟୁଞ୍ଜୟ ଶତପଥୀ, ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମଦନମୋହନ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆଲୋଚନାଚକ୍ରରେ ମତ ରଖିଥିଲେ।ରାଜ୍ଯର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସାହିତ୍ୟ ଓ ସଂସ୍କୃତ ବିଭାଗର ଶିକ୍ଷକ, ଅଧ୍ୟାପକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗଡ଼ଜାତ ଖଣ୍ଡପଡ଼ାର ଇତିହାସ, ସଂସ୍କୃତ,ଗଣିତ, ଜ୍ୟୋତିଷ ଶାସ୍ତ୍ର,ଢୁମ୍ପା ସଂଗୀତ ଓ ଖାଡଙ୍ଗା ଭାଗବତର ଅବଦାନ ଅତୁଳନୀୟ ଅଟେ ବୋଲି ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ମତ ଦେଇଥିଲେ।ବିଶ୍ବବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତ ଖଣ୍ଡପଡ଼ାରେ ଜନ୍ମଗ୍ରହଣ କରି ସମଗ୍ର ବିଶ୍ବବାସୀଙ୍କୁ ଜ୍ୟୋତିର୍ବିଜ୍ଞାନ ସଂର୍ପକରେ ପ୍ରଦାନ କରିଥିବା ଦିଗଦର୍ଶନ ଅବିସ୍ମରଣୀୟ ଅଟେ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଖାଲି ସେତିକି ନୁହେଁ ପଠାଣିସାମନ୍ତଙ୍କ କୃତି ସିଦ୍ଧାନ୍ତ ଦର୍ପଣ ପାଇଁ ସମଗ୍ର ବିଶ୍ଵରେ ଖଣ୍ଡପଡ଼ାର ସ୍ଥାନ ସ୍ବତନ୍ତ୍ର ବୋଲି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା।ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ବିନାୟକ ମିଶ୍ର କାର୍ଯ୍ୟକ୍ରମର ଦ୍ଵିତୀୟାର୍ଦ୍ଧରେ ସଂଯୋଜନା କରିଥିଵା ବେଳେ ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ସଂସ୍କୃତଵିଦ ଡଃ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଚିବ ଶିବ ନାରାୟଣ ଆଚାର୍ଯ୍ୟ ଓ ଆବାହକ ରମେଶ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ସ୍ବେଚ୍ଛାସେବୀ ଓ ଛାତ୍ରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।



