ହିସାବ ନଦେବା ସହ ଲକ୍ଷାଧିକ ଟଙ୍କା ହଡପ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୭|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧୀନ ଗୁଣ୍ଠୁଣି ପଞ୍ଚାୟତ ଦାୟୀତ୍ବରେ ଥିବା ଏମବିକେ ଶୈଳବାଳା ବେହେରା ଦୀର୍ଘ ୧୦ ମାସ ହେବ ମହାସଂଘର ସମସ୍ତ ପାସବୁକ, ରିଜୋଲ୍ୟୁସନ ବହି ଓ ଆନୁଷଙ୍ଗିକ କାଗଜପତ୍ର ନିଜ ଅକ୍ତିଆରରେ ରଖି କାହାରିକୁ ହିସାବ ନଦେବା ସହ ଲକ୍ଷାଧିକ ଟଙ୍କା ହଡପ କରିଥିବା ନେଇ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟାମାନେ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।ମହିଳାମାନଙ୍କ ଅଭିଯୋଗ ଆଧାରରେ ହଡପ ହୋଇଥିବା ଟଙ୍କା ସଂର୍ପକରେ ବ୍ଲକ ପ୍ରଶାସନ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା। ଏମବିକେଙ୍କ ବିରୁଦ୍ଧରେ ଅଭିଯୋଗ ଉଠାଇ ଥିବା ମହିଳାମାନେ (ଇସି ସଦସ୍ଯା) ସମସ୍ତ ବ୍ୟାଙ୍କ କାଗଜପତ୍ର ଯାଞ୍ଚ କରିବା ପରେ ସର୍ବମୋଟ ୧୩ ଲକ୍ଷ ୨ହଜାର ୮୧୭ ଟଙ୍କା ଏମବିକେ ଓ ତାଙ୍କ ସ୍ୱାମୀ ବିଭିନ୍ନ ସଂଘ ଆକାଉଣ୍ଟରେ ଜମା ନକରି ହଡପ କରିଥିବା ନେଇ ଜଣାପଡିଥିଲା।ତେବେ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ଓ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଏମବିକେ ଓ ତାଙ୍କ ସ୍ବାମୀ ହଡପ କରିଥିବା ଟଙ୍କା ବାବଦରେ ପ୍ରଥମେ ୬ ଲକ୍ଷ ୭୯ ହଜାର ୮୦୩ ଟଙ୍କା ସଂଘ ଆକାଉଣ୍ଟରେ ଜମା କରିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୬ ଲକ୍ଷ ଟଙ୍କା ଏହିପରି ସର୍ବମୋଟ ୧୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜମା କରିଥିଲେ। ମାତ୍ର ବକେୟା ଆଉ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜମା ହୋଇ ନଥିବା ମହିଳା ସଦସ୍ଯମାନଙ୍କ ଠାରୁ ଜଣାପଡିଛି। ବକେୟା ଟଙ୍କା ଦେବା ପାଇଁ ଏମବିକେ ଓ ତାଙ୍କ ସ୍ବାମୀ ବିଭିନ୍ନ ଆଳ ଦେଖାଇ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହେଉଛି। ଫଳରେ ମହିଳାମାନଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂର୍ପକରେ ମହିଳାମାନେ ପୁର୍ନବାର ବିଭାଗୀୟ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିବା ଜଣାପଡିଛି।ବରଂ ବ୍ଲକ ଉନ୍ନୟନ ଅଧିକାରୀ ମହିଳାମାନଙ୍କୁ ନାନା କଥା କହି ନାଲି ଆଖି ଦେଖାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି।ଅପରପକ୍ଷେ ଟଙ୍କା ହଡପ କରିଥିବା ଏମବିକେ ଓ ତାଙ୍କ ସ୍ୱାମୀ ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କୁ କରାୟତ କରି ଏବେ ଅଭିଯୋଗ ଉଠାଇଥିବା ମହିଳାମାନଙ୍କ ଉପରେ ଦାଉ ସାଧୁଥିବା ନେଇ ମହିଳାମାନେ ଅଭିଯୋଗ ଉଠାଇ ନୟାଗଡ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି।ତୁରନ୍ତ ହଡପ ହୋଇଥିବା ବକେୟା ଅର୍ଥ ଏମବିକେ ଓ ତାଙ୍କ ସ୍ବାମୀଙ୍କ ଠାରୁ ଆଦାୟ ସହ ଦୁର୍ନୀତିକୁ ପ୍ରଶୟ ଦେଇ ଜମାକାରୀଙ୍କ ଟଙ୍କା ହଡପ କରିଥିବା ଏମବିକେଙ୍କୁ କାର୍ଯ୍ଯରୁ ବହିଷ୍କାର ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ମହିଳାମାନେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ନ୍ୟାୟ ପାଇବା ନିମନ୍ତେ ମହିଳାମାନେ ବାଧ୍ଯ ହୋଇ ଆଇନର ଆଶ୍ରୟ ନେବେ ବୋଲି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।ସୂଚନାଯୋଗ୍ଯ ଜମାକାରୀଙ୍କ ଟଙ୍କା ହଡପ ଘଟଣାର ସତ୍ଯତା ଥିବା ନେଇ ଜଣାପଡିବା ପରେ ମଧ୍ଯ ସଂପୃକ୍ତ ଏମବିକେଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ନୟାଗଡ ଜିଲ୍ଲାପାଳ ଉପରୋକ୍ତ ଘଟଣାରେ ହସ୍ତକ୍ଷେପ କରିବାକୁ ଗୁଣ୍ଠୁଣି ପଞ୍ଚାୟତବାସୀ ଦାବି କରିଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें