ଓଡ଼ିଶା ପ୍ରଶାସନିକ ସ୍ତରରେ ଏବେ ଏକ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି। ରାଜ୍ୟ ସରକାର ଏକାସାଙ୍ଗରେ ୨୦ ଜଣ ଓଏଏସ୍ (OAS) ଅଫିସରଙ୍କ ବଦଳି କରିଛନ୍ତି। କିନ୍ତୁ ଏହି ବଦଳି ପଛରେ ଲୁଚି ରହିଛି ଏକ ବଡ଼ ଚେତାବନୀ। ଯଦି ନିର୍ଦ୍ଧାରିତ ସମୟରେ କାର୍ଯ୍ୟରେ ଯୋଗ ନଦିଅନ୍ତି, ତେବେ ମେ’ ପହିଲାରୁ ବନ୍ଦ ହୋଇଯିବ ଦରମା।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସଂସ୍କାର ପାଇଁ ଏହି ପଦକ୍ଷେପ ନିଆଯାଇଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କିଛି ଅଫିସର ବଦଳି ହୋଇଥିବା ସ୍ଥାନରେ ଯୋଗ ଦେବାରେ ଅବହେଳା କରୁଥିବା ନଜରକୁ ଆସିଛି। ଏହାକୁ ଗୁରୁତର ସହ ନେଇ ସରକାର ଏବେ ‘କଠୋର’ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ପଷ୍ଟ ଭାବେ କୁହାଯାଇଛି କି, ଯେଉଁମାନେ ନୂଆ ପଦବୀରେ କାର୍ଯ୍ୟଭାର ଗ୍ରହଣ କରିବେ ନାହିଁ, ସେମାନଙ୍କୁ ଆସନ୍ତା ମାସରୁ ଆଉ ଦରମା ମିଳିବ ନାହିଁ।
ତେବେ ଏହି ଘଟଣା ଏବେ ପ୍ରଶାସନିକ କରିଡରରେ ଏକ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ଓଏଏସ୍ ଅଫିସର ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ କ’ଣ ତିକ୍ତ ହେବାରେ ଲାଗିଛି? କାହିଁକି ଅଫିସରମାନେ ବଦଳି ହୋଇଥିବା ସ୍ଥାନକୁ ଯିବାକୁ କୁଣ୍ଠାବୋଧ କରୁଛନ୍ତି? କ୍ଷମତା ସଂଘର୍ଷ ନା ଅନ୍ୟ କିଛି କାରଣ—ଏବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ଏହି “ନୋ ୱାର୍କ, ନୋ ପେ” ନୀତି ଓଏଏସ୍ କ୍ୟାଡରରେ କମ୍ପନ ସୃଷ୍ଟି କରିଛି।
ଏହା କେବଳ ବଦଳି ନୁହେଁ, ବରଂ ପ୍ରଶାସନିକ ଶୃଙ୍ଖଳା ରକ୍ଷା ପାଇଁ ସରକାରଙ୍କ ଏକ ବଡ଼ ସଙ୍କେତ। ଆଗକୁ ଏହାର ପ୍ରଭାବ କ’ଣ ରହୁଛି, ତାହା ଦେଖିବାକୁ ବାକି ରହିଲା। #SidhaSambad,#OdishaNews, #OASOfficer, #OdishaGovernment, #TransferNews, #AdministrativeReform,




