ଭାଲୁକାଶୁଣି ମାଟିଆଳି ରାସ୍ତା ଉନ୍ନତିକରଣ କାର୍ଯ୍ୟ ନିମ୍ନମାନର। ଗ୍ରାମବାସୀଙ୍କ ବିରୋଧ ପରେ ରାସ୍ତାକାର୍ଯ୍ୟ ଠପ୍।
ନୀଳଗିରି -୨୧/୫(ସିଧାସମ୍ବାଦ);
ଭାଲୁକାଶୁଣିରୁ ମାଟିଆଳୀ ଭାୟା ନରଣପୁର ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ପାଇଁ ୧୮କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ହୋଇ ରାସ୍ତାକାର୍ଯ୍ୟ ଚାଲୁରହିଥିବା ବେଳେ ଉକ୍ତ ରାସ୍ତାକାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହୋଇଆସୁଥିଲା ବେଳେ ବୁଧବାର ମାଟିଆଳୀ ପଞ୍ଚାୟତ ଆଡିଆଖୁଣ୍ଟା ନିକଟରେ କଂକ୍ରିଟ ଢ଼ଳେଇ ଚାଲିଥିବା ବେଳେ ରାସ୍ତାକାର୍ଯ୍ଯକୁ ବନ୍ଦ କରିଛନ୍ତି ଗ୍ରାମବାସୀ। ନିମ୍ନମାନର ଚିପ୍ସ,ବାଲି, ସିମେଣ୍ଟରେ କାର୍ଯ୍ୟ ହେଉଥିବା କାରଣରୁ ଏଭଳି ବିରୋଧ କରାଯାଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ମୁଖ୍ୟତଃ ଢ଼ଳେଇ ରାସ୍ତାରେ ପାଣି କିଓରିଂ ବା ପାଣି ସିଞ୍ଚନ କରାଯାଉନଥିବାରୁ ଗୋଟିଏ ଦିନ ମଧ୍ୟରେ ରାସ୍ତା ଫାଟି ଆଁ କରିଥିବାରୁ ଏହାକୁ ବିରୋଧକରି ବୁଧବାର ଉକ୍ତଗ୍ରାମର ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ କାମ ବନ୍ଦ କରିଥିଲେ। ପୂର୍ବରୁ ବାରମ୍ବାର ଗ୍ରାମବାସୀ ମାନେ ସୂଚନା ଦେଇଥିଲେ ମଧ୍ୟ ଠିକାଦାର ଏଥିପ୍ରତି ଦୃଷ୍ଟି ଦେଇନଥିବାରୁ ବାଧ୍ୟହୋଇ ରାସ୍ତାକାମ ବନ୍ଦକରିଥିବା ଆଡିଆଖୁଣ୍ଟା ଏବଂ ମାଟିଆଳୀ ଅଞ୍ଚଳର ବହୁ ଜନସାଧାରଣ ଅଭିଯୋଗ କରିଛନ୍ତି।






