ପୋଲିସକୁ ଚକମାଦେଇ ୩ଦୋକାନରୁ ଲୁଟେରାଙ୍କ ଲୁଟ୍ ।
ନୀଳଗିରି- ୭/୬(ସିଧାସମ୍ବାଦ);
ନୀଳଗିରିର ହୃତପିଣ୍ଡ କୁହାଯାଉଥିବା କଚେରୀବଜାର ଦୁର୍ଗାମଣ୍ଡପ ନିକଟ ନୀଳଗିରି ସୁଇଟ୍ସ, ଖୁଣ୍ଟିଆ ପାନଦୋକାନ ଏବଂ ଅର୍ଡର ସପ୍ଲାଏ କରୁଥିବା ସରୋଜ ସାମଲଙ୍କ ଦୋକାନରୁ ଦୁର୍ବୃତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନର କବାଟଭାଙ୍ଗି ନଗଦ ଟଙ୍କା ସହ କିଛି ଆସବାପତ୍ର ଲୁଟି ନେଇଥିବାର ସୂଚନା ମିଳିଛି।ସୂଚନା ଅନୁଯାଇ ନୀଳଗିରି ଥାନା ସାନହତା ଗ୍ରାମର ମନୋରଞ୍ଜନ ଖୁଣ୍ଟିଆଙ୍କ “ରବି ପାନଦୋକାନ”ରୁ ଗତ କିଛିଦିନ ତଳେ ଦିନଦ୍ୱିପ୍ରହରରେ ୧୧ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ପୁଣି କିଛିଦିନ ଅନ୍ତରାଳରେ ଗତ ଶୁକ୍ରବାର ଦିନ ପ୍ରାୟ ୮ଟା ସମୟରେ ଦୋକାନୀ ପାଣି ଆଣିବାକୁ ଯାଇଥିବାବେଳେ ଉକ୍ତ ଦୋକାନରୁ ୯ହଜାର ଟଙ୍କା ଚୋରୀ ହୋଇଥିବା ନେଇ ଦୋକାନୀ ମନୋରଞ୍ଜନ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଅନୁରୂପଭାବେ ନୀଳଗିରିର ବହୁପୁରାତନ ଅନ୍ତର୍ଯ୍ୟାମୀ ବେହେରାଙ୍କ ମିଠାଦୋକାନ (ନୀଳଗିରି ସୁଇଟ୍ସ)ରୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ କେସ କାଉଣ୍ଟର ଭାଙ୍ଗି ଆନୁମାନିକ ୩୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚୋରୀ କରିନେଇଥିବା ବେଳେ ଅର୍ଡର ସପ୍ଲାଏ କରୁଥିବା ସରୋଜ ସାମଲଙ୍କ ଦୋକାନଗୃହ ଭାଙ୍ଗି ୪ହଜାରରୁ ଉର୍ଦ୍ଧ୍ବ ଟଙ୍କାଚୋରୀ ହୋଇଥିବାର ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନାମୁତାବକ ସ୍ଥାନୀୟ କିଛିଯୁବକଙ୍କ ସହାୟତାରେ ଲକ୍ଷ୍ମୀସାଗର ପୋଖରୀ ଆଡିରେ ବସବାସ କରୁଥିବା କିଛି ରିଫ୍ୟୁଜି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ଵାରା ଏଭଳି ଚୋରୀ ବାରମ୍ବାର ହେଉଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସର୍ବୋପରି ନୀଳଗିରି ସହରର ପ୍ରମୁଖ ବ୍ୟବସାୟସ୍ଥଳୀ କଚେରୀ ବଜାର ଏବଂ ତତତ୍ସଂଲଗ୍ନ ବଜାରଗୁଡ଼ିକରେ ପୋଲିସର ନିଷ୍କ୍ରିୟତା ଏବଂ କଡାକଡି ପେଟ୍ରୋଲିଂର ଦୂରାବସ୍ଥା ପାଇଁ ବାରମ୍ବାର ଚୋରି, ଡକାୟତି, ଛିନତାଇ ଭଳି ଘଟଣା ଘଟୁଥିବା ସହରାଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ସ୍ଥାନମାନଙ୍କରେ ଅଧିକ ପୋଲିସ ମୁତୟନ ସହିତ କଡାକଡି ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥା କରାଇବାକୁ ସହରାଞ୍ଚଳବାସୀ ଦାବୀ କରିଛନ୍ତି। ଏଥି ସହିତ ଅନୁପ୍ରବେଶକାରି ବାଂଲାଦେଶୀଙ୍କ ଉପରେ କଡା ନଜରରଖିବା ସହିତ ସେମାନଙ୍କୁ ସ୍ଥାନାନ୍ତର କିମ୍ବା ବିତାଡିତ କରିବାକୁ ଦାବୀ ହେଉଛି।






